

Introduction
ବିରାଜ ଦାଶ (୧୫ ଜୁନ ୧୯୫୯ - ୨୫ ମଇ ୨୦୨୨) ଜଣେ ଓଡ଼ିଆ ଅଭିନେତା ଥିଲେ ଯିଏକି ଓଡ଼ିଆ ନାଟକ, ରେଡିଓ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ କଥାଚିତ୍ରରେ ଅଭିନୟ କରୁଥିଲେ । ସେ କିଛି ହିନ୍ଦୀ ଧାରାବାହିକ ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ସେ ମଞ୍ଚ ନାଟକରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ଭାଗବତ ଟୁଙ୍ଗୀ, ଯାହାକି ଦୂରଦର୍ଶନ ସମ୍ବଲପୁରଦ୍ୱାରା ପ୍ରସାରିତ ହୋଇଥିଲା । ପରବର୍ତ୍ତୀ ସମୟର ସେ ମା’ ପରି କିଏ ହେବ, ଯା’ଦେବୀ ସର୍ବଭୂତେଷୁ’, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମ ଗିରି ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ବିରାଜ ଦାଶ ୧୯୫୯ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମୁମ୍ବାଇରେ ମ୍ୟାନେଜ୍ମେଣ୍ଟ୍ ପଢ଼ିବା ପରେ ଅଭିନୟ କରିବା ସହିତ ବ୍ୟାଙ୍କରେ ଚାକିରି କରିଥିଲେ । ସେ ବିନିତା ତ୍ରିପାଠୀଙ୍କୁ ବିବାହ କରିଥିଲେ ।
ଅଭିନୟ ଜୀବନ
ବିରାଜ ଦାଶ ୧୯୭୯ ମସିହାରେ ପ୍ରଥମେ ଦୂରଦର୍ଶନ ନାଟକ ଭାଗବତ ଟୁଙ୍ଗୀରେ ଅଭିନୟ କରିଥିଲେ, ଯାହାର ପ୍ରଯୋଜନା କରିଥିଲେ ଅକ୍ଷୟ ମହାନ୍ତି । ପରବର୍ତ୍ତୀ ସମୟରେ ସେ ଦେଖ ବର୍ଷା ଆସୁଛି, ଝରା ବଉଳ, କପଟ ପାଶ, ବୋହୂ କଟକିଆଣି ଆଦିରେ ଅଭିନୟ କରିଥିଲେ । ବୋହୂ କଟକିଆଣି ନାଟକର ରଚନା ମଧ୍ୟ ସେ ନିଜେ କରିଥିଲେ, ଯାହାକି ଟି-ସିରିଜ୍ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସାଇ ବାବା, ଆତତାୟୀ, ନାଗଫାଶ ଆଦିରେ ସେ ଖଳନାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୮୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଗୁଲା ବଗୁଲୀ । ପରେ ପରେ ସେ ଗୋଲାମ ଗିରି, ମା’ ପରି କିଏ ହେବ, ଯା ଦେବୀ ସର୍ବ ଭୂତେଷୁ, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ ବଙ୍ଗଳା କଥାଚିତ୍ର ନ୍ୟାୟଚକ୍ରରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ ।
ଚାକିରୀ ପାଇଁ ସେ ଅଭିନୟଠାରୁ ୧୬ ବର୍ଷ ଦୂରେଇ ଯାଇଥିଲେ ଏବଂ ୨୦୧୯ ମସିହାରେ ଅବସର ନେବା ପରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ୨୦୨୧ ମସିହାରେ ମନ ମୋ ନେଇଗଲୁ ରେ କଥାଚିତ୍ରରେ ସେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କିଛି କଥାଚିତ୍ର ଏବଂ ୱେବ୍ ସିରିଜ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।
ଅଭିନୀତ କଥାଚିତ୍ର
| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୮୬ | ବଗୁଲା ବଗୁଲୀ | ପ୍ରଥମ ଓଡ଼ିଆ କଥାଚିତ୍ର | |
| ୧୯୮୭ | ଗୋଲାମଗିରି | ||
| ୧୯୮୯ | ଯା ଦେବୀ ସର୍ବ ଭୂତେଷୁ | ||
| ନ୍ୟାୟଚକ୍ର | ବଙ୍ଗଳା କଥାଚିତ୍ର | ||
| ୧୯୯୫ | ମୋ ଭାଇ ଜଗା | ||
| ୧୯୯୯ | ପ୍ରେମ ବନ୍ଧନ | ଝରଣାର ବାପା | |
| ପୁଅ ଭାଙ୍ଗିଦେଲା ସୁନା ସଂସାର | |||
| ମା ପରି କିଏ ହେବ | ନଟ | ||
| ୨୦୨୧ | ମନ ମୋ ନେଇଗଲୁ ରେ |
ଅଭିନୀତ ଧାରାବାହିକ
| ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
|---|---|---|---|
| କଲିକତି ଚେଙ୍କ | ଡିଡି ଓଡ଼ିଆ | ||
| ଦୁନିଆ | ଡିଡି ଓଡ଼ିଆ | ||
| ସମ୍ପର୍କ | ଡିଡି ଓଡ଼ିଆ | ||
| ଆକାଶ କଇଁଆ ଚିଲିକା ମାଛ | ଡିଡି ଓଡ଼ିଆ | ||
| ସୁନା କାଇଁଚ | ଡିଡି ଓଡ଼ିଆ | ||
| ମୂଲିଆ | ଡିଡି ଓଡ଼ିଆ | ||
| ତମସାତୀରେ | ଡିଡି ଓଡ଼ିଆ |
ରଚିତ ନାଟକ
- ବୋହୂ କଟକିଆଣୀ
- ଜୟ ବେକାରୀ ଜୟ ଭିକାରୀ
ମୃତ୍ୟୁ
ବିରଜ ଦାଶ ୨୦୨୨ ମସିହାର ମଇ ୨୫ ତାରିଖରେ କର୍କଟ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚକିତ୍ସାଳୟରେ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ବିରାଜ ଦାଶ